ରାଜ୍ୟ

ମୁଖ୍ୟ ସଚିବଙ୍କ ଗସ୍ତ : ନୂଆପଡ଼ାର ବିକାଶରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି

ଭୁବନେଶ୍ୱର : ଗୁରୁବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନୂଆପଡ଼ା ଜିଲ୍ଲାର ପାଟୋରା ଡ୍ୟାମ୍ ନିକଟରେ ଇକୋ ଟୁରିଜିମ୍ ସ୍ଥଳ ପରିଦର୍ଶନ କରିଥିଲେ । ସେଠାରେ ଶ୍ରୀ ମହାପାତ୍ର ପର୍ଯ୍ୟଟକଙ୍କ ପାଇଁ ପ୍ରାଥମିକସ୍ତରର ବ୍ୟବସ୍ଥାକୁ ସମୀକ୍ଷା କରିଥିଲେ । ବିଶେଷ କରି ତମ୍ବୁ, ସୁରକ୍ଷା, ଖାଦ୍ୟ, ରାତ୍ରିଯାପନ, ପରିମଳ ଏବଂ ପରିଷ୍କାର ପରିବେଶ ସମ୍ବନ୍ଧୀୟ ବିଷୟଗୁଡିକ ଉପରେ ଗୁରୁତ୍ୱ ଦେବା ସହ ଏହାର ସୁବ୍ୟବସ୍ଥା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଗସ୍ତ ସମୟରେ ମୁଖ୍ୟଶାସନ ସଚିବ କହିଛନ୍ତି, ‘ପର୍ଯ୍ୟଟକଙ୍କ ପାଇଁ ଏହି ସ୍ଥାନଟି ଭଲ ଭାବରେ ବିକଶିତ ହୋଇଛି । ଏହା ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ । ସେଠାରେ ଜେଟି ନିର୍ମାଣ କରାଯିବ ଏବଂ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ସୁବିଧା ରହିବ । ଏହି ସୁବିଧା ସ୍ଥାନୀୟ ଲୋକଙ୍କ ଦ୍ୱାରା ପରିଚାଳିତ ହେବ । ତେବେ ସ୍ଥାନୀୟ ଯୁବଗୋଷ୍ଠୀଙ୍କୁ ତାଲିମ ଦେଇ ପର୍ଯ୍ୟଟନକ୍ଷେତ୍ରର ରକ୍ଷଣାବେକ୍ଷଣ ତଥା ପରିଚାଳନାରେ ସେମାନଙ୍କୁ ନିୟୋଜିତ କରାଯିବ । ସମୀକ୍ଷା ବୈଠକରେ ମୁଖ୍ୟ ସଚିବଙ୍କ ସହ ଜଳସମ୍ପଦ ସଚିବ ଅନୁ ଗର୍ଗ, ଜିଲ୍ଲାପାଳ ସ୍ୱଧଦେବ ସିଂ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସେହିପରି ବୁଧବାର ମୁଖ୍ୟ ସଚିବ ଜିଲ୍ଲାର ଖରିଆଳ, ସିନାପାଲି ବ୍ଲକ୍‌ର ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରିଥିଲେ । ସେଠାରେ ସ୍ଥାନୀୟ ବାସିନ୍ଦାଙ୍କ ସୁବିଧାକୁ ଗୁରୁତ୍ୱ ଦେବା ସହ ବିଭିନ୍ନ ସ୍ଥାନରେ ଥିବା ନଳକୂପଗୁଡିକ କିପରି ସଚଳ ରହିଛି ତାହା ଯାଞ୍ଚ କରିଥିଲେ । ଏହାବ୍ୟତୀତ ସ୍ଥାନୀୟ କୃଷକଙ୍କ ସହ ସିଧାସଳଖ ଆଲୋଚନା କରି ପିଆଜ ଅମଳ ସମ୍ପର୍କରେ ପଚାରି ବୁଝିଥିଲେ । ବିଜୁ ଏକ୍ସପ୍ରେସ ହାଇୱେ, ଜଳସେଚନ ପ୍ରକଳ୍ପ, ପିଇବା ପାଣି ବ୍ୟବସ୍ଥା, କୃଷି ଆଦି ବହୁ ପ୍ରକଳ୍ପର ସମୀକ୍ଷା କରିଥିଲେ । ତେବେ ନୂଆପଡ଼ା ଜିଲ୍ଲାର ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏଠାକାର ଲୋକଙ୍କ ଆର୍ôଥକ ବିକାଶ ଦିଗରେ ମଧ୍ୟ ଗୁରୁତ୍ୱ ଦିଆଯାଉଥିବା ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ । ତେବେ ବିଭିନ୍ନ ପ୍ରକଳ୍ପର ବିକାଶଧାରା ସମ୍ପର୍କରେ ପ୍ରତି ୩ମାସରେ ସମୀକ୍ଷା କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *