Uncategorized

ଉଠିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର : ଲକ୍ଷ ଲକ୍ଷ ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟି ରାତି ୯ଟା ୩୩ ମିନିଟ୍ ସମୟରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିଛି। ନିର୍ଦ୍ଧାରିତ ସମୟର ପ୍ରାୟ ୨୭ ମିନିଟ୍ ପୂର୍ବରୁ ମହାଦୀପ ଉଠିଛି। ଦୀପ ଉଠିବା ସମୟରେ ସମାଗତ ଭକ୍ତ ଓ ସେବାୟତଙ୍କ ‘ହର ହର ମହାଦେବ’ ଧ୍ୱନିରେ କମ୍ପି ଉଠିଥିଲା ଏକାମ୍ର କ୍ଷେତ୍ର। ଆଜି ଦିନ ତମାମ ଏକାମ୍ର କ୍ଷେତ୍ର ଶିବ ପଞ୍ଚାକ୍ଷରୀରେ ପ୍ରକମ୍ପିତ ହେଇଛି। ଗଗନ ସହ ପବନ ମିଶିଛି। ପବିତ୍ର ଜାଗରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଏକାମ୍ର କ୍ଷେତ୍ରକୁ ଛୁଟିଥିଲେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ। ଭକ୍ତି ଓ ଆବେଗରେ କିଏ ଦୀପଟିଏ ଜାଳି ଦେଇ ଗୁହାରି ବାଣ୍ଟୁଥିଲା ତ ଆଉ କିଏ ଲମ୍ବା ଧାଡ଼ିରେ ପ୍ରଭୁଙ୍କ ଦର୍ଶନ ପାଇଁ ଛିଡ଼ା ହୋଇ ଧୈର୍ଯ୍ୟର ପରୀକ୍ଷା ଦେଉଥିଲା। ଖରାକୁ ଖାତିର ନଥିଲା କି ଉପବାସର ଯନ୍ତ୍ରଣା ବାଧୁ ନଥିଲା। ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିର ପାର୍ଶ୍ଵବର୍ତୀ ଅଞ୍ଚଳର ସୌନ୍ଦର୍ଯ୍ୟ ନିଆରା ଅନୁଭବ ଦେଇଛି। କରୋନା କଟକଣା ସତ୍ତ୍ୱେ ବି ଭକ୍ତଙ୍କ ଆଗମନ ଯଥେଷ୍ଟ ବଢ଼ିଥିଲା। ଶ୍ରୀଲିଙ୍ଗରାଜ ମନ୍ଦିରକୁ ଗତକାଲି ରାତିରୁ ଭକ୍ତଙ୍କ ଆଗମନ ହୋଇଥିବା ବେଳେ ରାତି ପ୍ରାୟ ୧ଟାରୁ ବହୁ ଶ୍ରଦ୍ଧାଳୁ ଧାଡ଼ି ବାନ୍ଧି ଛିଡ଼ା ହୋଇଥିଲେ। ଭୋର୍‌ ୩ଟାରେ ଭକ୍ତମାନେ ମନ୍ଦିର ବେଢ଼ାକୁ ପ୍ରବେଶ କରିଥିଲେ। ପ୍ରଶାସନ ପକ୍ଷରୁ ନିର୍ମିତ ନୂତନ ଫାଇବର ସେଡ୍‌ ଓ ବ୍ୟାରିକେଡ୍‌ କରାଯାଇଥିଲା। ମହାପ୍ରଭୁଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ଭୋର ୪ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା।

Leave a Reply

Your email address will not be published. Required fields are marked *