ଦେଶ- ବିଦେଶ

ବିଷାକ୍ତ ମଦ ମୃତ୍ୟୁ ମାମଲା : ୯ ଦୋଷୀଙ୍କୁ ଫାଶୀ, ୪ ମହିଳାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ଗୋପାଳଗଞ୍ଜ : ସାଢେ ଚାରି ବର୍ଷ ପରେ ବହୁ ଚର୍ଚ୍ଚିତ ବିହାର ବିଷାକ୍ତ ମଦ ମୃତ୍ୟୁ ମାମଲାରେ ରାୟ ପ୍ରକାଶ ପାଇଛି। ଗୋପାଳଗଞ୍ଜର ଅଦାଲତ ଖଜୁରିବାନି ବିଷାକ୍ତ ମଦ ମୃତ୍ୟୁ ମାମଲାରେ ୯ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ବାକି ୪ ମହିଳା ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି।

ଗୋପାଳଗଞ୍ଜରେ ଏଡିଜେ ୨ର କୋର୍ଟ ଦୋଷୀଙ୍କୁ ଶୁକ୍ରବାର ଏହି ଦଣ୍ଡ ଶୁଣାଇଛନ୍ତି। କୋର୍ଟ ନିଜ ନିଷ୍ପତ୍ତିରେ ମୋଟ୍ ୧୩ ଜଣଙ୍କ ମଧ୍ୟରୁ ୯ ଜଣଙ୍କୁ ଫାଶୀ ଦଣ୍ଡ ଦେଇଥିବା ବେଳେ ୪ ମହିଲାଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି । ଅନ୍ୟପଟେ ଫାଶୀ ଦଣ୍ଡ ମିଳିବା ମାତ୍ରେ କୋର୍ଟ ପରିସର ଦୋଷୀଙ୍କ ପରିଜନଙ୍କ କାନ୍ଦ ବୋବାଳିରେ ଫାଟି ପଡିଛି।

ସୂଚନାଯୋଗ୍ୟ, ୨୦୧୬ ଅଗଷ୍ଟ ୧୬ରେ ଗୋପାଳଗଞ୍ଜ ଥାନାର ଖଜୁରିବାନୀରେ ବିଷାକ୍ତ ମଦ ପିଇ ମୋଟ୍ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଦୃଷ୍ଟି ଶକ୍ତି ହରାଇଥିଲେ। ଏହି ମଦ ମୃତ୍ୟୁ ଘଟଣା ବିହାର ସହିତ ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଘଟଣାରେ ନଗର ଥାନା ପୋଲିସ ଜରୁରିବାନୀ ଗାଁର ମୁଖ୍ୟ ଅଭିଯୁକ୍ତ ନଗିନା ପାସି, ରୂପେଶ ଶୁକ୍ଳା ସହିତ ମୋଟ୍ ୧୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା। ହେଲେ ଏହି ମାମଲାରେ ଶୁଣାଣି ବେଳେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିଲା। ବାକି ୧୩ ଜଣଙ୍କୁ ଗୋପାଳଗଞ୍ଜ ଏଡିଜେ ଦୋଷୀ ସାବ୍ୟସ୍ତ କରି କଠୋର ଦଣ୍ଡାଦେଶ ଶୁଣାଇଛନ୍ତି।

କୋର୍ଟଙ୍କ ଏହି ରାୟ ପରେ ପୀଡିତ ପରିବାରଙ୍କ ମନରେ ନ୍ୟାୟ ପାଇବାର ଆଶା ଜାଗି ଉଠିଛି। ଏହି କାଣ୍ଡରେ କିଏ ସ୍ଵାମୀ ହରାଇଥିଲା ତ କିଏ ପୁଅ, କିଏ ବାପା ଏବଂ କିଏ ଭାଇ ହରାଇଥିଲା।

Leave a Reply

Your email address will not be published. Required fields are marked *