ରାଜ୍ୟ

ପ୍ରବୀରଙ୍କ ପରିବାରକୁ ମିଳିଲା ସହାୟତା

ଭୁବନେଶ୍ୱର : କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ମିଳିଛି ସହାୟତା । ପ୍ରବୀରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସୁପାରିସ୍ କ୍ରମେ ସହାୟତା ପ୍ରଦାନ କରାଯାଇଛି । ପତ୍ନୀ ସସ୍ମିତାଙ୍କୁ ୧୫ ଲକ୍ଷର ଚେକ୍ ପ୍ରଦାନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ତେବେ କୋଭିଡ-୧୯ରେ ଆକ୍ରାନ୍ତ ହୋଇ ଆଖିବୁଜିଥିଲେ କରୋନା ଯୋଦ୍ଧା ପ୍ରବୀର ପ୍ରଧାନ । ପ୍ରବୀର ଏକ ବୈଦ୍ୟୁତିକ ଗଣମାଧ୍ୟମର ଭୁବନେଶ୍ୱର ପ୍ରତିନିଧି ଥିଲେ ।

ସୂଚନା ଅନୁଯାୟୀ, କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ନ୍ୟୁଜ୍‌-୧୮ର ପ୍ରତିନିଧି ପ୍ରବୀର ପ୍ରଧାନଙ୍କୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ । ଏ ସମ୍ପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । କରୋନା ପୀଡ଼ିତ ପ୍ରବୀର ଗତ ବର୍ଷ ନଭେମ୍ବର ୫ ତାରିଖରେ ମୃତ୍ୟୁବରଣ କରିଥିଲେ । ଆଇଆଇଏମସିରୁ ସାମ୍ବାଦିକତା ପାଠ୍ୟକ୍ରମ ଶେଷ ପରେ ସେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଥିଲେ । ଜଣେ କ୍ରାଇମ ରିପୋର୍ଟର ଭାବରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କର ବାପା ମଧ୍ୟ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ । ଏହାପରେ ପ୍ରବୀର ନିଜେ ସଂକ୍ରମିତ ହୋଇ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କର ପତ୍ନୀ ଓ ଗୋଟିଏ ଛୋଟ ଝିଅ ଅଛନ୍ତି ।

Leave a Reply

Your email address will not be published. Required fields are marked *