ଦେଶ- ବିଦେଶ

ଗୁଜରାଟ ପୌର ନିର୍ବାଚନରେ ବିଜେପିର ବାଜିମାତ୍

ଗୁଜରାଟ : ଗୁଜରାଟ ପୌର ନିର୍ବାଚନରେ ବିଜେପି ବହୁ ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହୋଇଛି । ମଙ୍ଗଳବାର ନିର୍ବାଚନ ଫଳାଫଳ ଜଣାପଡ଼ିବା ପରେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଅମିତ ଚାଭଡ଼ା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏହା ସହିତ କଂଗ୍ରେସର ବିଧାୟକ ଦଳ ନେତା ପରେଶ ଧନାନୀ ବି ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ।

ଗୁଜରାଟରେ ଅନୁଷ୍ଠିତ ୮୧ ନଗର ପାଳିକା, ୩୧ ଜିଲ୍ଲା ପଞ୍ଚାୟତ ଏବଂ ୨୩୧ ତାଲୁକ ପଞ୍ଚାୟତ ନିର୍ବାଚନର ଫଳାଫଳ ମଙ୍ଗଳବାର ଆସିଛି । ଏହି ନିର୍ବାଚନରେ ୬୦%ରୁ ଅଧିକ ମତଦାନ ହୋଇଥିଲା । ମୋଟ୍ ୮୨୩୫ ଆସନ ପାଇଁ ବିଜେପିରୁ ୮୧୬୧, କଂଗ୍ରେସରୁ ୭୭୭୮, ଆମ ଆଦମୀ ପାର୍ଟିରୁ ୨୦୯୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

ଅପରାହ୍ନ ୪ଟା ସୁଦ୍ଧା ୪୭୭୪ ତହସିଲ ପଞ୍ଚାୟତ ମଧ୍ୟରୁ ୩୫୧୪ ଆସନରେ ଫଳାଫଳ ଆସିଥିଲା । ସେଥିରୁ ୨୭୨୦ ଆସନରେ ବିଜେପି ବାଜିମାତ୍ କରିଥିବାବେଳେ କଂଗ୍ରେସ ୯୯୪, ଆପ୍ ୨୭, ସ୍ୱାଧୀନ ୯୧, ବିଏସପି ୪ ଏବଂ ଅନ୍ୟାନ୍ୟ ଦଳରୁ ୪ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି ୯୮୦ ଜିଲ୍ଲା ପଞ୍ଚାୟତ ଆସନ ମଧ୍ୟରୁ ୭୪୯ ଆସନରେ ଫଳାଫଳ ଜଣାପଡ଼ିଥିବାବେଳେ ସେଥିରୁ ବିଜେପି ୬୫୧, କଂଗ୍ରେସ ୧୩୭, ଆପ୍ ୧, ବିଏସପି ୧, ସ୍ୱାଧୀନ ୩ ଏବଂ ଅନ୍ୟାନ୍ୟ ଦଳ ୪ଟି ଆସନରେ ବିଜୟୀ ହୋଇଛନ୍ତି ।

ବିଜେପିର ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି କହିଛନ୍ତି, ଗୁଜରାଟବ୍ୟାପୀ ନଗର ନିଗମ, ତାଲୁକା ପଞ୍ଚାୟତ ଏବଂ ଜଲ୍ଲା ପଞ୍ଚାୟତ ନିର୍ବାଚନ ଫଳାଫଳ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଗୁଜରାଟବାଦୀ ବିଜେପିର ବିକାଶ ଏବଂ ସୁଶାସନର ଏଜେଣ୍ଡାକୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି । ମୁଁ ଗୁଜରାଟର ଲୋକଙ୍କୁ ସେମାନଙ୍କ ଅତୁଟ ବିଶ୍ୱାସ ଏବଂ ବିଜେପି ପ୍ରତି ଭଲପାଇବା ପାଇଁ ସଲାମ କରୁଛି ।

Leave a Reply

Your email address will not be published. Required fields are marked *